ବିଶ୍ୱନାଥ ଦାଶ (୧୮୮୯ - ୧୯୮୪) ଜଣେ ଭାରତୀୟ-ଓଡ଼ିଆ ରାଜନେତା, ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୨][୩] ସେ ବ୍ରିଟିଶ ଶାସନ (୧୯୩୭ - ୧୯୩୯) କାଳରେ ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।[୪] ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ[୫] ଏବଂ ଶେଷରେ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ ।[୬] ସେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ମଧ୍ୟ ଥିଲେ ।
ବିଶ୍ୱନାଥ ଦାସ ୧୮୮୯ ମସିହା ମଇ ୮ ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମଧୁସୂଦନ ଦାସ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେବାପରେ ୧୯୧୮ରେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ମାଡ୍ରାସଠାରେ ଓକିଲାତି କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକ ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ସେ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ୱାଧୀନତା ସଂଗ୍ରାମରେରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନଯୋଗ୍ୟ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ରେ ଇହଲୀଳା ସମ୍ବରଣ କରିଥିଲେ ।