କାଠଫେଡ଼ା ପକ୍ଷୀ
କାଠଫେଡ଼ା ପକ୍ଷୀ (ଇଂରାଜୀ ଭାଷାରେ Indian nuthatch, ଜୀବବିଜ୍ଞାନ ନାମ Sitta castanea) ସିଟ୍ଟିଡାଏ ପରିବାରର ସଦସ୍ୟ ପକ୍ଷୀ । ପୂର୍ବେ ଏହି ପକ୍ଷୀକୁ ବାଦାମୀ-ପେଟ କାଠଫେଡ଼ା ପକ୍ଷୀ (‘‘chestnut-bellied nuthatch’’, ଜୀବବିଜ୍ଞାନ ନାମ ‘‘Sitta cinnamoventris’’) ସହ ମିଶାଇ ଗୋଟିଏ ପ୍ରଜାତି ଭାବେ ଚିହ୍ନଟ କରାଯାଉଥିଲା ।[୨] ୨୦୦୫ ମସିହାର ଲେଖାରେ ରାସ୍ମୁସେନ୍ ଓ ଆଣ୍ଡର୍ଟନ୍ ଏହାକୁ ବାଦାମୀ-ପେଟ କାଠଫେଡ଼ା ପକ୍ଷୀଙ୍କଠାରୁ ପୃଥକ୍ ପକ୍ଷୀ ବୋଲି କହିଥିଲେ ।[୩] ପରିବାସ ଓ ଭୌଗୋଳିକ ବ୍ୟାପ୍ତିଭାରତୀୟ ଉପମହାଦେଶରେ ଭାରତ, ବଙ୍ଗଳାଦେଶ ଓ ନେପାଳ ପ୍ରଭୃତି ଦେଶରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାଏ ।[୧][୪][୫][୬][୭] ଭାରତୀୟ କାଠଫେଡ଼ା ପକ୍ଷୀ (ପୂର୍ବଘାଟ ପର୍ବତମାଳାର ପ୍ରାଟେରି ଉପପ୍ରଜାତି ସହ) ମୁଖ୍ୟତଃ ଗଙ୍ଗା ନଦୀର ଦକ୍ଷିଣ ଦିଗରେ ଦେଖାଯାନ୍ତି । ତେରାଇ ଓ ଗାଙ୍ଗେୟ ସମତଳ ଭୂମିରୁ କେନ୍ଦ୍ରୀୟ ଭାରତ, ପୂର୍ବଘାଟ ପର୍ବତମାଳା, ସୁନ୍ଦରବନ ଓ କିଛି ମାତ୍ରାରେ ପଶ୍ଚିମଘାଟ ପର୍ବତମାଳାରେ ମଧ୍ୟ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳେ । ଉପ-କ୍ରାନ୍ତୀୟ ଓ କ୍ରାନ୍ତୀୟ ଶୁଷ୍କ ଅରଣ୍ୟ, ଉପ-କ୍ରାନ୍ତୀୟ ଓ କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟ, ଉପ-କ୍ରାନ୍ତୀୟ ଓ କ୍ରାନ୍ତୀୟ ଆର୍ଦ୍ର ପାର୍ବତ୍ୟ ଅରଣ୍ୟ ଏହି ପକ୍ଷୀର ପ୍ରାକୃତିକ ପରିବାସ । ଗଠନ ଓ ବ୍ୟବହାରପ୍ରାପ୍ତ ବୟସ୍କ ପକ୍ଷୀର ଶରୀରର ଦୈର୍ଘ୍ୟ ପ୍ରାୟ ୧୨ ସେଣ୍ଟିମିଟର ଏବଂ ଓଜନ ପାଖାପାଖି ୧୫ ଗ୍ରାମ ।[୨] ଏହା ଏକ ଛୋଟ ହୃଷ୍ଟପୁଷ୍ଟ ପକ୍ଷୀ । ପିଠି ପଟ ପାଉଁଶିଆ ନୀଳ । ପିଠି ଉପରେ ଏକ କଳା ପଟି ଦାଗ ରହିଥାଏ । ଏହାର ଲାଞ୍ଜର ରଙ୍ଗ କଳା ଓ ଏହାର ପ୍ରାନ୍ତରେ ଧଳା ଚିହ୍ନ ରହିଥାଏ । ପାଉଁଶିଆ ପିଠି ଓ ବାଦାମୀ ପେଟ ବିଶିଷ୍ଟ ଭାରତୀୟ ଉପଦ୍ୱୀପର ଏହା ଏକମାତ୍ର କାଠଫେଡ଼ା ପ୍ରଜାତି । ଏହାର ଥଣ୍ଟଟି ଛୋଟ । ଏହାର କପାଳରେ କଳା ଉପରେ ଧଳା ପର ରହିଥାଏ । କାଠଫେଡ଼ାର ତଳିପେଟ ଅବସନ୍ନ ହଳଦି ରଙ୍ଗର । କାଠଫେଡ଼ା ପକ୍ଷୀଙ୍କଠାରେ ସାମାଜିକ ବ୍ୟବହାର ପରିଲକ୍ଷିତ ହୋଇଥାଏ । ନିଜ ଜାତିର ପକ୍ଷୀଙ୍କ ସହ ଯୁଗଳରେ କିମ୍ବା ଅନ୍ୟ ପ୍ରଜାତିର ପକ୍ଷୀଙ୍କ ସହ ଏମାନେ ମିଶି ବୁଲିବା ଦେଖାଯାଏ । ବିଭିନ୍ନ ପୋକଜୋକ, ଭୂଇଁ କଙ୍କଡ଼ା, ଶସ୍ୟ, ଜନ୍ଦା ପିମ୍ପୁଡ଼ି, ଗୋବରା ପୋକ, ମଞ୍ଜି ଇତ୍ୟାଦି ଏମାନଙ୍କର ମୁଖ୍ୟ ଆହାର । ପ୍ରଜନନଫେବୃଆରୀରୁ ଜୁଲାଇ ଏମାନଙ୍କ ପ୍ରଜନନ ଋତୁ । ଗଛର ଖୋପ ଓ କୋରଡ଼ ଦେଖି ଏମାନେ ଘାସ, ପତ୍ର ଓ ଡାଙ୍ଗ ବ୍ୟବହାର କରି ନିଜର ବସା ବାନ୍ଧିଥାନ୍ତି । ମାଈ କାଠଫେଡ଼ା ଏକା ଥରକେ ୪ରୁ ୫ ଗୋଟି ଅଣ୍ଡା ଦେଇଥାଏ । ଗୋଲାପୀ ରଙ୍ଗର ଅଣ୍ଡା ଗୁଡ଼ିକରେ ଲାଲ୍ ଛିଟଦାଗ ରହିଥାଏ । ଉଭୟ ଅଣ୍ଡିରା ଓ ମାଈ କାଠଫେଡ଼ା ବସା ଗଢ଼ିବା, ଅଣ୍ଡା ଉଷୁମାଇବା ଓ ଶାବକଙ୍କ ଲାଳନପାଳନ ଦାୟିତ୍ୱ ବହନ କରିଥାନ୍ତି । ଆଧାର
|